ଅକ୍ଷୟ କୁମାର ଖିଲାଡି କୁମାରରୁ ମିଷ୍ଟର ଭାରତ କୁମାର ହେବାର ବହୁ ପୂର୍ବରୁ ଆଉ ଜଣେ ଭାରତ କୁମାର ଥିଲେ । ସେ ହେଉଛନ୍ତି ମନୋଜ କୁମାର । ମନୋଜ କୁମାର ତାଙ୍କ ଦେଶାତ୍ମବୋଧକ ଫିଲ୍ମ ପାଇଁ ଏହି ଟାଇଟଲ ହାସଲ କରିଥିଲେ । ପୁରବ-ପଶ୍ଚିମ,କ୍ଲାର୍କ୍,କ୍ରାନ୍ତି ଭଳି କ୍ରାନ୍ତିକାରୀ ଫିଲ୍ମ ଦ୍ୱାରା ଭାରତୀୟଙ୍କୁ ଆଚମ୍ବିତ କରିଥିବା ମନୋଦ କୁମାରଙ୍କର ଶୁକ୍ରବାର ଦେହାନ୍ତ ହୋଇଯାଇଛି । ଗୋଟିଏ ସମୟରେ ମନୋଜ କୁମାର ଭାରତ କୁମାର ଭାବେ ବକ୍ସ ଅଫିସରେ ଛାଇ ରହିଥିଲେ ।
ହିନ୍ଦୀ ସିନେମାରେ ମନୋଜ କୁମାରଙ୍କ ଯୋଗଦାନକୁ କେହି ଭୁଲି ପାରିବେ ନାହିଁ। ବହୁତ କମ ଲୋକ ଜାଣନ୍ତି ଯେ ଏହି ବରିଷ୍ଠ ଅଭିନେତାଙ୍କର ପ୍ରକୃତ ନାମ ଥିଲା ହରିକିଶନ ଗିରି ଗୋସ୍ୱାମୀ। ମନୋଜ କୁମାର ସର୍ବଦା ଦିଲୀପ କୁମାରଙ୍କର ବଡ଼ ପ୍ରଶଂସକ ଥିଲେ, ଏବଂ ତାଙ୍କ ଚଳଚ୍ଚିତ୍ର ଦେଖିବା ପରେ ସେ ନିଜ ନାମ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ।
ମନୋଜ କୁମାର କେବଳ ଅଭିନୟରେ ସୀମିତ ନଥିଲେ, ସେ ଚଳଚ୍ଚିତ୍ର ନିର୍ମାଣ ସହିତ ଅନେକ ଉତ୍କୃଷ୍ଟ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଆଜି ମଧ୍ୟ ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରଗୁଡ଼ିକୁ ଲୋକମାନେ ଦେଖିବାକୁ ପସନ୍ଦ କରନ୍ତି। ମନୋଜ କୁମାରଙ୍କ ଶ୍ରେଷ୍ଠ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ “କ୍ରାନ୍ତି” ଅନ୍ୟତମ। ଏହି ଚଳଚ୍ଚିତ୍ର ମାଧ୍ୟମରେ ସେ ଲୋକଙ୍କ ମନରେ ଦେଶଭକ୍ତିର ଲହରୀ ସୃଷ୍ଟି କରିଥିଲେ। ୧୯୩୭ ମସିହା ଜୁଲାଇ ୨୪ ତାରିଖରେ ମନୋଜ କୁମାରଙ୍କ ଜନ୍ମ ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶର (ବର୍ତ୍ତମାନ ଖୈବର ପଖ୍ତୁନ୍ୱା, ପାକିସ୍ତାନ) ଏବଟାବାଦ ସହରରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା।
ପାକିସ୍ତାନ ସହ ମନୋଜ କୁମାରଙ୍କ ସମ୍ପର୍କ
ବହୁତ କମ ଲୋକ ଜାଣନ୍ତି ଯେ ମନୋଜ କୁମାରଙ୍କ ଜନ୍ମ ସେହି ସ୍ଥାନରେ ହୋଇଥିଲା, ଯେଉଁଠାରେ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଦେନଙ୍କୁ ଆମେରିକୀୟ ସୈନ୍ୟମାନେ ରାତିର ଅନ୍ଧକାରରେ ହତ୍ୟା କରିଥିଲେ। ବିଭାଜନ ପୂର୍ବରୁ ଏହି ସ୍ଥାନ ଭାରତର ଏକ ଅଂଶ ଥିଲା। କିନ୍ତୁ ବିଭାଜନ ସମୟରେ ମାତ୍ର ୧୦ ବର୍ଷ ବୟସରେ ମନୋଜ କୁମାରଙ୍କୁ ଜାଲିୟାଲା ଶେର ଖାନରୁ ଦିଲ୍ଲୀ ଆସିବାକୁ ପଡ଼ିଥିଲା। ସେହି ସମୟରେ ତାଙ୍କ ପରିବାର କିଙ୍ଗସୱେ କ୍ୟାମ୍ପରେ ଶରଣାର୍ଥୀ ଭାବେ ରହିଥିଲେ। କିଛି ସମୟ ପରେ ସେମାନେ ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗର ଅଞ୍ଚଳକୁ ଚାଲି ଆସିଥିଲେ।
ଶରଣାର୍ଥୀ ଶିବିରରେ ରହୁଥିବା ମନୋଜ କୁମାର ଆଗକୁ ଚାଲି ଭାରତର ସୁପରଷ୍ଟାର ବନିଥିଲେ । ମନୋଜ କୁମାର ହିନ୍ଦୁ କଲେଜ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ। ପଢ଼ାଶୁଣା ପରେ ସେ ହିନ୍ଦୀ ସିନେମାରେ ପାଦ ଦେବାକୁ ନିଷ୍ପତ୍ତି ନେଇଥିଲେ। ୧୯୫୭ ମସିହାରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର “ଫ୍ୟାଶନ” ମୁକ୍ତିଲାଭ କରିଥିଲା। ପ୍ରଥମ ଚଳଚ୍ଚିତ୍ରରେ ସେ ୮୦ ବର୍ଷୀୟ ବୃଦ୍ଧଙ୍କ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମ ତାଙ୍କ ଲଂଚ ପ୍ୟାଡ୍ ସାବ୍ୟସ୍ତ ହୋଇଥିଲା । ଆଗକୁ ଚାଲି ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଚାଲିଥିଲେ । ଦେବାନନ୍ଦଙ୍କ ଭଳି ସେ ମଧ୍ୟ ପରିଣତ ବୟସରେ ଫିଲ୍ମ ନିର୍ଦ୍ଦେଶନା ସହିତ ଅଭିନୟ ଜାରି ରଖିଥିଲେ ।