ନରେନ୍ଦ୍ର ମୋଦୀ ସରକାର ଓ୍ଵାକଫ୍ ବୋର୍ଡର ଅଧିକାରକୁ କମ୍ କରିବା ପାଇଁ ସଂସଦରେ ନୂଆ ବିଲ୍ ଆଣିଛନ୍ତି। ଏହି ନୂଆ ବିଧେୟକ ସଂସଦ ଦ୍ୱାରା ଗୃହିତ ହେଲେ କୌଣସି ଜମିକୁ ନିଜର ସମ୍ପତ୍ତି ଅର୍ଥାତ୍ ଓ୍ଵାକଫ୍ ସମ୍ପତ୍ତି ବୋଲି ଦାବି କରିବାର ୱାକଫ କ୍ଷମତା ଉପରେ ରୋକ୍ ଲଗାଯିବ। ସୂତ୍ର ଅନୁସାରେ, ଶୁକ୍ରବାର କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ଓ୍ଵାକଫ୍ ଆଇନ ସହ ଜଡ଼ିତ ୪୦ଟି ସଂଶୋଧନ ଉପରେ ଆଲୋଚନା ପରେ ଏହାକୁ ଅନୁମୋଦନ ଦିଆଯାଇଛି। ପ୍ରସ୍ତାବିତ ବିଲ୍ରେ ବର୍ତ୍ତମାନର ଆଇନ ସହ ଜଡ଼ିତ ଅନେକ ଧାରା ହଟାଇ ଦିଆଯାଇପାରେ। ଆସନ୍ତୁ ବୁଝିବା ଓ୍ଵାକଫ୍ ବୋର୍ଡ କ’ଣ, ଏହାକୁ କେଉଁ କେଉଁ କ୍ଷମତା ମିଳିଛି।
ଓ୍ଵାକଫ୍ ବୋର୍ଡ କ’ଣ?
ଓ୍ଵାକଫ୍ ଅର୍ଥ ହେଉଛି ‘ଆଲ୍ଲାହଙ୍କ ନାମରେ’, ଅର୍ଥାତ୍ ଏପରି ଜମି ଯାହା କୌଣସି ବ୍ୟକ୍ତି କିମ୍ବା ସଂସ୍ଥାର ନାମରେ ନାହିଁ। ଓ୍ଵାକଫ୍ ବୋର୍ଡର ଜଣେ ସର୍ଭେୟାର ଥାଏ। ସେହି ସର୍ଭେୟାର ନିର୍ଣ୍ଣୟ କରେ କେଉଁ ସମ୍ପତ୍ତି ଓ୍ଵାକଫ୍ର ଅଟେ ଓ କେଉଁଟି ନୁହେଁ। ଏହି ନିର୍ଣ୍ଣୟର ତିନୋଟି ଆଧାର ରହିଛି- ଯଦି କେହି ନିଜ ସମ୍ପତ୍ତିକୁ ଓ୍ଵାକଫ୍ ନାମରେ କରିଦେଇଛି, ଯଦି କୌଣସି ମୁସଲମାନ କିମ୍ବା ମୁସଲିମ ସଂସ୍ଥା ଜମିକୁ ଦୀର୍ଘ ସମୟ ଧରି ବ୍ୟବହାର କରୁଛି, କିମ୍ବା ସର୍ଭେରେ ଜମିଟି ଓ୍ଵାକଫ୍ ସମ୍ପତ୍ତି ବୋଲି ପ୍ରମାଣିତ ହୋଇଛି। ଓ୍ଵାକଫ୍ ବୋର୍ଡ ମୁସଲିମ ସମାଜର ଜମିଗୁଡ଼ିକ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଗଠନ କରାଯାଇଥିଲା, ଯାହା ଦ୍ଵାରା ଏହି ଜମିଗୁଡ଼ିକର ଅପବ୍ୟବହାର ରୋକିବା ଓ ଅବୈଧ ଭାବେ ବିକ୍ରି ହେବାକୁ ବାରଣ କରାଯାଇଥିଲା।
ଓ୍ଵାକଫ୍ ବୋର୍ଡ କିପରି କାମ କରେ?
ଓ୍ଵାକଫ୍ ବୋର୍ଡ ଦେଶରେ ଯେଉଁଠାରେ ମଧ୍ୟ କବରସ୍ଥାନର ଘେରାବନ୍ଦୀ କରାଏ, ସେହି ଆଖପାଖର ଜମିକୁ ମଧ୍ୟ ନିଜର ସମ୍ପତ୍ତି ବୋଲି ଘୋଷଣା କରିଦିଏ। ଏହି ମଜାର ଓ ଆଖପାଖ ଜମି ଉପରେ ଓ୍ଵାକଫ୍ ବୋର୍ଡର ଅଧିକାର ହୋଇଯାଏ। ଯେହେତୁ ୧୯୯୫ର ଓ୍ଵାକଫ୍ ଆଇନ କହୁଛି ଯେ ଯଦି ଓ୍ଵାକଫ୍ ବୋର୍ଡକୁ ଲାଗେ କି କୌଣସି ଜମି ଓ୍ଵାକଫ୍ ସମ୍ପତ୍ତି ଅଟେ, ତେବେ ଏହା ପ୍ରମାଣ କରିବାର ଦାୟିତ୍ଵ ତା’ର ନୁହେଁ, ବରଂ ଜମିର ପ୍ରକୃତ ମାଲିକଙ୍କୁ ଏହା ପ୍ରମାଣିତ କରିବାକୁ ପଡିବ ଯେ,ଜମି ତାଙ୍କର ୱାକଫର ନୁହେଁ। ୧୯୯୫ର ଆଇନ ନିଶ୍ଚିତ ଭାବେ କହୁଛି ଯେ କୌଣସି ବ୍ୟକ୍ତିଗତ ସମ୍ପତ୍ତି ଉପରେ ଓ୍ଵାକଫ୍ ବୋର୍ଡ ଦାବି କରିପାରିବ ନାହିଁ, କିନ୍ତୁ ଏହା କିପରି ନିର୍ଣ୍ଣୟ ହେବ ଯେ ସମ୍ପତ୍ତିଟି ବ୍ୟକ୍ତିଗତ ଅଟେ? ଯଦି ଓ୍ଵାକଫ୍ ବୋର୍ଡକୁ କେବଳ ଲାଗୁଛି ଯେ କୌଣସି ସମ୍ପତ୍ତି ଓ୍ଵାକଫ୍ର ଅଟେ, ତେବେ ତାକୁ କୌଣସି ଦଲିଲ କିମ୍ବା ପ୍ରମାଣ ଦାଖଲ କରିବାକୁ ପଡ଼ିବ ନାହିଁ। ସମସ୍ତ କାଗଜପତ୍ର ଓ ପ୍ରମାଣ ତାକୁ ଦେବାକୁ ପଡ଼ିବ ଯିଏ ଏଯାଏ ଦାବିଦାର ଥିଲା। ଅନେକ ପରିବାରଙ୍କ ପାଖରେ ଜମିର ଦସ୍ତାବିଜ୍ ନଥାଏ। ଓ୍ଵାକଫ୍ ବୋର୍ଡ ଏହାର ଫାଇଦା ଉଠାଏ କାରଣ ତାକୁ ଅଧିକାର ଜମାଇବା ପାଇଁ ପ୍ରମାଣ ଦେବାକୁ ପଡ଼େ ନାହିଁ।
ନରସିଂହା ରାଓ ସରକାରରେ ବଢ଼ିଥିଲା ଓ୍ଵାକଫ୍ ବୋର୍ଡର ଶକ୍ତି
୧୯୫୪ରେ ଓ୍ଵାକଫ୍ ବୋର୍ଡର ଗଠନ ହୋଇଥିଲା। କିନ୍ତୁ ୧୯୯୫ର ସଂଶୋଧନ ଦ୍ଵାରା ଓ୍ଵାକଫ୍ ବୋର୍ଡକୁ ଅସୀମିତ ଶକ୍ତି ମିଳିଥିଲା। ପି.ଭି. ନରସିଂହ ରାଓଙ୍କ କଂଗ୍ରେସ ସରକାର ଓ୍ଵାକଫ୍ ଆକ୍ଟ ୧୯୫୪ରେ ସଂଶୋଧନ କରି ନୂଆ ନୂଆ ପ୍ରାବଧାନ ଯୋଡ଼ି ଓ୍ଵାକଫ୍ ବୋର୍ଡକୁ ଅସୀମିତ ଶକ୍ତି ପ୍ରଦାନ କରିଥିଲେ। ଓ୍ଵାକଫ୍ ଆକ୍ଟ ୧୯୯୫ର ସେକ୍ସନ ୩(ଆର) ଅନୁସାରେ, ଯଦି କୌଣସି ସମ୍ପତ୍ତି ମୁସଲିମ ଆଇନ ଅନୁଯାୟୀ କୌଣସି ଉଦ୍ଦେଶ୍ୟ ପାଇଁ ପାକ (ପବିତ୍ର), ମଜହବୀ (ଧାର୍ମିକ) କିମ୍ବା (ଚାରିଟେବଲ) ପରୋପକାରୀ ବୋଲି ଗ୍ରହଣ କରାଯାଏ, ତେବେ ତାହା ଓ୍ଵାକଫ୍ ସମ୍ପତ୍ତି ହୋଇଯିବ। ଓ୍ଵାକଫ୍ ଆକ୍ଟ ୧୯୯୫ର ଆର୍ଟିକଲ ୪୦ କହୁଛି ଯେ ଏହି ଜମି କାହାର, ତାହା ଓ୍ଵାକଫ୍ର ସର୍ଭେୟାର ଓ ଓ୍ଵାକଫ୍ ବୋର୍ଡ ନିର୍ଣ୍ଣୟ କରିବ। ପରେ ୨୦୧୩ ମସିହାରେ ସଂଶୋଧନ ଉପସ୍ଥାପନ କରାଗଲା, ଯାହାଦ୍ଵାରା ଓ୍ଵାକଫ୍କୁ ଏହା ସହ ଜଡ଼ିତ ମାମଲାଗୁଡ଼ିକରେ ଅସୀମିତ ଓ ପୂର୍ଣ୍ଣ ସ୍ଵାୟତ୍ତତା ମିଳିଥିଲା।
ଓ୍ଵାକଫ୍ ବୋର୍ଡକୁ ମିଳିଛି ଏହି ଶକ୍ତିଗୁଡ଼ିକ
ଯଦି ଆପଣଙ୍କ ସମ୍ପତ୍ତିକୁ ଓ୍ଵାକଫ୍ ସମ୍ପତ୍ତି ବୋଲି କୁହାଗଲା, ତେବେ ଆପଣ ତା’ ବିରୁଦ୍ଧରେ କୋର୍ଟକୁ ଯାଇପାରିବେ ନାହିଁ। ଆପଣଙ୍କୁ ଓ୍ଵାକଫ୍ ବୋର୍ଡଠାରୁ ହିଁ ଅନୁରୋଧ କରିବାକୁ ପଡ଼ିବ। ଯଦି ଓ୍ଵାକଫ୍ ବୋର୍ଡର ନିଷ୍ପତ୍ତି ଆପଣଙ୍କ ବିରୁଦ୍ଧରେ ଆସେ, ତେବେ ମଧ୍ୟ ଆପଣ କୋର୍ଟକୁ ଯାଇପାରିବେ ନାହିଁ। ସେତେବେଳେ ଆପଣ ଓ୍ଵାକଫ୍ ଟ୍ରାଇବ୍ୟୁନାଲକୁ ଯାଇପାରିବେ। ଏହି ଟ୍ରାଇବ୍ୟୁନାଲରେ ପ୍ରଶାସନିକ ଅଧିକାରୀମାନେ ଥାଆନ୍ତି। ସେଥିରେ ଅଣ-ମୁସଲିମ ମଧ୍ୟ ରହିପାରନ୍ତି। ଓ୍ଵାକଫ୍ ଆକ୍ଟର ସେକ୍ସନ ୮୫ କହୁଛି ଯେ ଟ୍ରାଇବ୍ୟୁନାଲର ନିଷ୍ପତ୍ତିକୁ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ।
ଦେଶରେ ଗୋଟିଏ ସେଣ୍ଟ୍ରାଲ ଓ ୩୨ଟି ଷ୍ଟେଟ ଓ୍ଵାକଫ୍ ବୋର୍ଡ ଅଛି
ଦେଶରେ ଗୋଟିଏ କେନ୍ଦ୍ରୀୟ ଓ୍ଵାକଫ୍ ବୋର୍ଡ ଓ ୩୨ଟି ରାଜ୍ୟ ବୋର୍ଡ ଅଛି। କେନ୍ଦ୍ରୀୟ ଅଲ୍ପସଂଖ୍ୟକ କଲ୍ୟାଣ ମନ୍ତ୍ରୀ ସେଣ୍ଟ୍ରାଲ ଓ୍ଵାକଫ୍ ବୋର୍ଡର ଅଧ୍ୟକ୍ଷ ହୋଇଥାଆନ୍ତି। ଏଯାଏ ସରକାରମାନେ ଓ୍ଵାକଫ୍ ବୋର୍ଡକୁ ଅନୁଦାନ ଦେଇ ଆସିଛନ୍ତି। ମୋଦୀ ସରକାରରେ ମଧ୍ୟ ଓ୍ଵାକଫ୍ ପ୍ରତି ଉଦାରତା ଦେଖାଯାଇଛି। ସେଣ୍ଟ୍ରାଲ ଓ୍ଵାକଫ୍ ବୋର୍ଡ ନିୟମ ତିଆରି କରିଛି ଯେ ଯଦି ଓ୍ଵାକଫ୍ ଜମି ଉପରେ ସ୍କୁଲ, ହସ୍ପିଟାଲ ଆଦି ନିର୍ମାଣ ହୁଏ, ତେବେ ସମ୍ପୂର୍ଣ୍ଣ ଖର୍ଚ୍ଚ ସରକାର ବହନ କରିବେ। ଏହା ସେତେବେଳେ ହୋଇଥିଲା ଯେତେବେଳେ ମୁଖତାର ଅବ୍ବାସ ନକଭି ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଥିଲେ।
ଓ୍ଵାକଫ୍ ବୋର୍ଡର ପକ୍ଷ ଛେଦନ ପ୍ରସ୍ତୁତି!
ମୋଦୀ ୩.୦ ସରକାର ଏବେ ଓ୍ଵାକଫ୍ ବୋର୍ଡର ଶକ୍ତି କମ୍ କରିବା ପାଇଁ ଯୋଜନା କରିସାରିଛନ୍ତି। ଓ୍ଵାକଫ୍ ବୋର୍ଡର ଅସୀମିତ ଅଧିକାର ଉପରେ ଲଗାମ ଲଗାଇବା ଦିଗରେ କେନ୍ଦ୍ର ସରକାର ସଂଶୋଧନ ପ୍ରସ୍ତାବ କରିଛନ୍ତି। ଏଥିରେ ଓ୍ଵାକଫ୍ ସମ୍ପତ୍ତିଗୁଡ଼ିକର ବାଧ୍ୟତାମୂଳକ ଯାଞ୍ଚ ଅନ୍ତର୍ଭୁକ୍ତ ରହିଛି। ଏହାଦ୍ଵାରା ସମ୍ପତ୍ତିଗୁଡ଼ିକର ଅପବ୍ୟବହାର ରୋକିବାକୁ ଚେଷ୍ଟା କରାଯିବ। ସମଗ୍ର ଦେଶରେ ୮.୭ ଲକ୍ଷରୁ ଅଧିକ ସମ୍ପତ୍ତି, ପ୍ରାୟ ୯.୪ ଲକ୍ଷ ଏକର, ଓ୍ଵାକଫ୍ ବୋର୍ଡର ଅଧିକାର କ୍ଷେତ୍ର ଅଧୀନରେ ଅଛି। ପ୍ରସ୍ତାବିତ ସଂଶୋଧନ ଅନୁସାରେ, ଓ୍ଵାକଫ୍ ବୋର୍ଡର ଦାବିଗୁଡ଼ିକର ବାଧ୍ୟତାମୂଳକ ଯାଞ୍ଚ କରାଯିବ। ସେହିପରି ଏକ ବାଧ୍ୟତାମୂଳକ ଯାଞ୍ଚ ସେହି ସମ୍ପତ୍ତିଗୁଡ଼ିକ ପାଇଁ ମଧ୍ୟ ପ୍ରସ୍ତାବିତ ହୋଇଛି, ଯେଉଁଗୁଡ଼ିକ ପାଇଁ ଓ୍ଵାକଫ୍ ବୋର୍ଡ ଓ ବ୍ୟକ୍ତିଗତ ମାଲିକମାନେ ଦାବି ଓ ପ୍ରତି-ଦାବି କରିଛନ୍ତି। ସଂଶୋଧନ ବିଧେୟକ ଅଗଷ୍ଟ ୫ ତାରିଖରେ ସଂସଦରେ ଉପସ୍ଥାପନ ହୋଇପାରେ।