ରୁଷିଆର ସବୁଠାରୁ ବିନାଶକାରୀ ପରମାଣୁ କ୍ଷେପଣାସ୍ତ୍ର ସତାନ-୨କୁ ବିଫଳ ବୋଲି ଘୋଷଣା କରାଯାଇଛି । ଏହାକୁ ରୁଷିଆ ଏକ ଅଜେୟ କ୍ଷେପଣାସ୍ତ୍ର ଭାବରେ ବର୍ଣ୍ଣନା କରିଛି । ରିପୋର୍ଟ ଅନୁସାରେ କ୍ଷେପଣାସ୍ତ୍ରଟି ଉଡ଼ାଣ ଭରିବା ପୂର୍ବରୁ ଲଞ୍ଚ ପ୍ୟାଡରେ ବିସ୍ଫୋରଣ ହୋଇଥିଲା । ଘଟଣା ପରେ ପୁଟିନ ରୁଷିଆ ମହାକାଶ ସଂସ୍ଥା ରୋସ୍କୋସମର ମୁଖ୍ୟଙ୍କୁ ବହିଷ୍କାର କରିଛନ୍ତି । ରୁଷ ଅନେକ ଦିନରୁ ଦାବି କରିଆସୁଛି ଯେ କୌଣସି ପ୍ରତିରକ୍ଷା ପ୍ରଣାଳୀ ୨୦୮ ଟନ୍ ବିଶିଷ୍ଟ ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ଅଟକାଇ ପାରିବ ନାହିଁ । ଏହି କ୍ଷେପଣାସ୍ତ୍ରଟି ଏକ ୧୪ ମହଲା କୋଠା ସହ ସମାନ ଏବଂ ଘଣ୍ଟା ପ୍ରତି ବେଗ ୨୫ ହଜାର ୫୦୦ କିଲୋମିଟର ।

ଦି ସନ୍ ରିପୋର୍ଟ ଅନୁଯାୟୀ ବାରମ୍ବାର କ୍ଷେପଣାସ୍ତ୍ର ଲଞ୍ଚର ବିଫଳତା ଯୋଗୁଁ ପୁଟିନ୍ ନିରାଶ ହୋଇଛନ୍ତି । ରୁଷିଆ ସୁରକ୍ଷା ଏଜେନ୍ସି ସହ ଜଡ଼ିତ ଏକ ଟେଲିଗ୍ରାମ ଚ୍ୟାନେଲ କହିଛି ଯେ ସେତାନ-୨ର ପ୍ରଗତି ପାଇଁ ପୁଟିନ୍ ୬୮ ବର୍ଷିୟ ୟୁରିଙ୍କୁ ବହିଷ୍କାର କରିଛନ୍ତି । ଆହୁରି ମଧ୍ୟ କୁହାଯାଇଛି ଯେ ପୁଟିନଙ୍କ କ୍ରୋଧ ମୁଖ୍ୟତଃ କ୍ଷେପଣାସ୍ତ୍ର ଉତ୍ପାଦନ ଏବଂ ନିୟୋଜିତ କରିବାରେ ବିଫଳତା ଯୋଗୁଁ ସୃଷ୍ଟି ହୋଇଥିଲା । ଏପର୍ଯ୍ୟନ୍ତ କ୍ଷେପଣାସ୍ତ୍ରର ପରୀକ୍ଷଣ ଶେଷ ହୋଇନାହିଁ ।
ସାଟେଲାଇଟ୍ ଫଟୋରୁ ମିଳିଲା ତଥ୍ୟ
ଏହି କ୍ଷେପଣାସ୍ତ୍ରର ବିକାଶକୁ ଅତ୍ୟନ୍ତ ଗୁପ୍ତ ରଖାଯାଇଛି । କିନ୍ତୁ ଅନେକ ବିଫଳ ପରୀକ୍ଷଣର ତଥ୍ୟ ଲିକ୍ ହୋଇଛି । ଗତ ସେପ୍ଟେମ୍ବରରେ ସାଟେଲାଇଟର ଚିତ୍ର ସାମ୍ନାକୁ ଆସିଥିଲା । ଯେଇଁଥିରେ ଏକ ବଡ଼ ବିସ୍ଫୋରଣ ଯୋଗୁଁ ଏକ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖାଯାଇଥିଲା । ସେତେବେଳେ କୁହାଗଲା ଯେ ଏହା ସତାନ-୨ କ୍ଷେପଣାସ୍ତ୍ରର ଲଞ୍ଚପ୍ୟାଡ୍ । ରିପୋର୍ଟ ଅନୁଯାୟୀ ଏହା ୪ର୍ଥ ଥର ବିଫଳତା ଥିଲା । ୨୦୨୨ରେ ଏହା ଥରେ ସମ୍ପୂର୍ଣ୍ଣ ସଫଳ ହୋଇଥିଲା । ବିଶ୍ଳେଷକମାନେ କହିଛନ୍ତି ଯେ ସତାନ-୨ କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ବିଫଳତା ପ୍ରମାଣିତ ହୋଇଛି । ସାଇଲୋରୁ ଉଡ଼ିବା ପୂର୍ବରୁ ଏହା ବିସ୍ଫୋରଣ ହୋଇଥିଲା ।
ଏଥିପାଇଁ ପୁଟିନ୍ ରାଗିଯାଇଥିଲେ
ରୁଷିଆନ ମହାକାଶ ସଂସ୍ଥାର ମୁଖ୍ୟଙ୍କୁ ବହିଷ୍କାର କରାଯିବା ପଛରେ ବିଫଳ ଚନ୍ଦ୍ର ଅବତରଣ ମିଶନ ଏବଂ ନୂତନ ଜାତୀୟ ମହାକାଶ କେନ୍ଦ୍ରର ଦୁର୍ବଳ ପରିଚାଳନାକୁ ମଧ୍ୟ କାରଣ ଭାବେ ଦର୍ଶାଯାଉଛି । ଫେବୃଆରୀ ୬ ତାରିଖରେ କ୍ରେମଲିନ୍ ଏକ ଅତି ଛୋଟ ବିବୃତ୍ତିରେ ୟୁରି ବୋରିସୋଭଙ୍କ ବହିଷ୍କାର ବିଷୟରେ କହିଥିଲେ । କାର୍ଯ୍ୟନିର୍ବାହୀଙ୍କ ନିର୍ଦ୍ଦେଶରେ ପୁଟିନ ଦସ୍ତଖତ କରିଥିଲେ । ବୋରିସୋଭ ତିନି ବର୍ଷ ପାଇଁ ରୁଷିଆନ ମହାକାଶ ସଂସ୍ଥାର ମୁଖ୍ୟ ଥିଲେ । ମସ୍କୋ ଟାଇମ୍ସ ରିପୋର୍ଟ ଅନୁସାରେ ବୋରସୋଭଙ୍କ କାର୍ଯ୍ୟକାଳ ତାଙ୍କର ମହତ୍ବାକାଂକ୍ଷୀ ଯୋଜନା ଏବଂ ଅନେକ ବଡ଼ ବିଫଳତା ଦ୍ବାରା ଚିହ୍ନିତ ହୋଇଥିଲା । ଅଗଷ୍ଟ ୨୦୨୩ରେ, ଲୁନା-୨୫ ମହାକାଶଯାନ ମଧ୍ୟ ଚନ୍ଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।