ଥକ୍କାପଣ ଦୂର କରିବା ଓ ସଠିକ୍‌ ନିଦ୍ରା ପାଇଁ କରନ୍ତୁ ଏହି ଯୋଗାସନ, ବିଶେଷଜ୍ଞଙ୍କ ମତ 

ଆଜିକାଲି ଅଧିକାଂଶ ଲୋକ ନିଜ କାମ ଓ ଦାୟିତ୍ୱରେ ବ୍ୟସ୍ତ ରହୁଛନ୍ତି। ଆମ ଜୀବନରେ ପ୍ରତ୍ୟେକ ବ୍ୟକ୍ତି କୌଣସି ନା କୌଣସି କାମରେ ବ୍ୟସ୍ତ ଅଛନ୍ତି, ସେ କର୍ମଜୀବୀ ହୁଅନ୍ତୁ, ଗୃହିଣୀ ହୁଅନ୍ତୁ କିମ୍ବା ଛାତ୍ର । ଏପରି ସ୍ଥିତିରେ ଲୋକମାନେ ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରିଦିଅନ୍ତି। ଅନେକ ସମୟରେ କାମ କିମ୍ବା ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ସମସ୍ୟା ଯୋଗୁଁ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ, ଯାହା ଫଳରେ ଲୋକମାନେ ଶୀଘ୍ର ଥକି ଯାଆନ୍ତି ଓ ସେମାନଙ୍କୁ ଆରାମର ଆବଶ୍ୟକତା ହୋଇଥାଏ। କିନ୍ତୁ ସେମାନଙ୍କୁ ଆରାମ କରିବା ପାଇଁ ସମୟ ମିଳିପାରେ ନାହିଁ। ଏହା ବ୍ୟତୀତ ଆଜିକାଲି ଲୋକମାନେ ବହୁତ ରାତିରେ ଶୋଇଥାନ୍ତି, ଅନେକ କହିଥାନ୍ତି ଯେ ସେମାନଙ୍କୁ ସମୟରେ ନିଦ ଆସୁନାହିଁ। ଏପରି ସ୍ଥିତିରେ ଆପଣ ରାତିରେ ଶୋଇବା ପୂର୍ବରୁ କିଛି ଟେକ୍ନିକ୍‌ ଅପଣାଇ ପାରିବେ, ଯାହା ଶୀଘ୍ର ନିଦ୍ରା ଆଣିବାରେ ଆପଣଙ୍କୁ ସାହାଯ୍ୟ କରିବ। ଏହା ମଧ୍ୟରୁ କିଛି ଯୋଗାସନ ମଧ୍ୟ ଅଛି। 

ଯୋଗ ଦ୍ୱାରା ଥକ୍କା କମ୍‌ କରିବା ଓ ଠିକ୍ ଭାବରେ ନିଦ ହେବାରେ ସାହାଯ୍ୟ ମିଳିପାରେ। କିଛି ଯୋଗାସନ ଏପରି ଅଛି ଯାହା ଶରୀରକୁ ଆରାମ ଦେବା, ଚାପ କମ୍‌ କରିବା ଓ ନିଦ୍ରାରେ ସୁଧାର ଆଣିବାରେ ମଧ୍ୟ ସାହାଯ୍ୟ କରେ। ପ୍ରତ୍ୟେକ ଯୋଗାସନର ଅଲଗା ଅଲଗା ଅନେକ ଫାଇଦା ରହିଛି। ଏପରି ସ୍ଥିତିରେ ଆପଣ ଅଫିସ୍‌ରୁ ଘରକୁ ପହଞ୍ଚି ଶୋଇବା ପୂର୍ବରୁ କିଛି ଏପରି ଯୋଗାସନ କରିପାରିବେ। ଯାହା ଶାରୀରିକ ଓ ମାନସିକ ଚାପକୁ କମ୍‌ କରିବା ଓ ନିଦ୍ରା ଆଣିବାରେ ସାହାଯ୍ୟ କରିବ। 

ଯୋଗ ବିଶେଷଜ୍ଞ ଡକ୍ଟର ସମ୍ପୂର୍ଣ୍ଣା କହିଛନ୍ତି ଯେ ପ୍ରଥମେ ଶୋଇବାର ଏକ ଘଣ୍ଟା ପୂର୍ବରୁ ଫୋନ୍‌ ବ୍ୟବହାର ବନ୍ଦ କରି ଦିଅନ୍ତୁ। ଭ୍ରମରୀ ପ୍ରାଣାୟାମ ଚାପ କମ୍‌ କରିବାରେ ବହୁତ ସାହାଯ୍ୟ କରେ ଓ ଏହା ଦ୍ୱାରା ଆପଣ ବହୁତ ରିଲାକ୍ସ୍‌ ଅନୁଭବ କରିବେ। ଏହା ବ୍ୟତୀତ ଆପଣ ଶଯ୍ୟାରେ ଶୋଇ ଆଖି ବନ୍ଦ କରନ୍ତୁ ଓ ଗଭୀର ଶ୍ୱାସପ୍ରଶ୍ୱାସ ନିଅନ୍ତୁ। କେବଳ ନିଜ ଶ୍ୱାସପ୍ରଶ୍ୱାସ ଉପରେ ଧ୍ୟାନ ଦିଅନ୍ତୁ ଓ ଶରୀରକୁ ଢିଲା ରଖନ୍ତୁ। ଏହା ଦିନସାରାର ଥକ୍କା ଓ ଚାପକୁ ଦୂର କରିବାରେ ସାହାଯ୍ୟ କରିବ। 

ଶବାସନ ଯୋଗ 

ଶବାସନ ଦ୍ୱାରା ମଧ୍ୟ ଚାପ ଓ ଥକ୍କା ଦୂର କରିବାରେ ସାହାଯ୍ୟ ମିଳିଥାଏ। ଏହାକୁ କରିବା ପାଇଁ ଶଯ୍ୟାରେ ପିଠି ଭାଗ ଉପରେ ଶୋଇ ପଡ଼ନ୍ତୁ। ଏହାପରେ ନିଜ ହାତଗୋଡ଼କୁ ଶରୀରର ଉଭୟ ପାର୍ଶ୍ୱରେ ରଖନ୍ତୁ। ଶରୀରକୁ ଢିଲା ରଖନ୍ତୁ, ଏହାପରେ ହାତର ପାପୁଲିକୁ ଉପରକୁ ମୋଡ଼ନ୍ତୁ। ଏବେ ଆଖି ବନ୍ଦ କରନ୍ତୁ ଓ ନିଜ ଶ୍ୱାସପ୍ରଶ୍ୱାସ ଉପରେ ଧ୍ୟାନ ଦିଅନ୍ତୁ। ଏହାକୁ ଆପଣ ୩ରୁ ୫ ମିନିଟ୍‌ ପର୍ଯ୍ୟନ୍ତ କରିପାରିବେ। 

ଲେଗ୍ସ୍‌ ଅପ୍‌ ଓ୍ୱାଲ୍‌ ପୋଜ୍‌ 

କାନ୍ଥ ସହାୟତାରେ ଗୋଡ଼ ଉଠାଇବା ମୁଦ୍ରାକୁ ଲେଗ୍ସ୍‌ ଅପ୍‌ ଓ୍ୱାଲ୍‌ ପୋଜ୍‌ କୁହାଯାଏ। ଏହା ଆମେ ପିଲାଦିନେ ଖେଳ ଖେଳରେ ବହୁତ କରୁଥିଲୁ। ଏହି ଆସନ କରିବା ପାଇଁ ପିଠି ଭାଗ ଉପରେ ଶୋଇ ପଡ଼ନ୍ତୁ। ଗୋଡ଼କୁ କାନ୍ଥ ଉପରେ ୯୦ ଡିଗ୍ରୀ ପର୍ଯ୍ୟନ୍ତ ଉଠାନ୍ତୁ। ଶରୀରକୁ ଢିଲା ଛାଡ଼ି ଦିଅନ୍ତୁ, ଆଖି ବନ୍ଦ କରନ୍ତୁ ଓ ଶ୍ୱାସପ୍ରଶ୍ୱାସ ଉପରେ ଧ୍ୟାନ ଦିଅନ୍ତୁ। ଏହି ଆସନ ଥକ୍କା କମ୍‌ କରିବା ଓ ନିଦ୍ରାକୁ ଉନ୍ନତ କରିବାରେ ସାହାଯ୍ୟ କରିବ। 

ପିସିଓଡି ଓ ବନ୍ଧ୍ୟାତ୍ୱ ସମସ୍ୟା ପାଇଁ ଏହି ଯୋଗାସନ ବହୁତ ଲାଭଦାୟକ ହୋଇଥାଏ। ସେହିପରି ଯେଉଁମାନଙ୍କୁ ନିଦ୍ରା ଆସୁନାହିଁ ଏବଂ ଯେଉଁମାନେ ଦିନସାରା ଅଫିସ୍‌ରେ ଚେୟାର୍‌ରେ ବସି କାମ କରନ୍ତି କିମ୍ବା ବହୁତ ଯାତ୍ରା କରନ୍ତି, ଯାହା କାରଣରୁ ଗୋଡ଼ ତଳକୁ ଝୁଲି ରହିଥାଏ ଓ ଏହା ଯୋଗୁଁ ଗୋଡ଼ରେ ଫୁଲା ହୋଇଯାଏ, ସେମାନଙ୍କ ପାଇଁ ଏହା କରିବା ଉଚିତ୍‌। ଏହା ଖାଦ୍ୟ ହଜମ କରିବାରେ ମଧ୍ୟ ସାହାଯ୍ୟ କରିପାରେ।

Leave a Reply

Your email address will not be published. Required fields are marked *