କି ଘିବଲି ଟ୍ରେଣ୍ଡ ଆରମ୍ଭ ହୋଇଛି ଯେ, ସମସ୍ତେ ନିଜର ବ୍ୟକ୍ତିଗତ ଫଟୋକୁ ChatGPT ଓ Grok ଭଳି ପ୍ଲାଟଫର୍ମରେ ଅପଲୋଡ୍ କରି ଘିବଲି ଷ୍ଟାଇଲ୍ର ଇମେଜ୍ ତିଆରି କରୁଛନ୍ତି। ସୋସିଆଲ୍ ମିଡିଆରେ ସେଲିବ୍ରିଟିଙ୍କଠାରୁ ନେତାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଘିବ୍ଲି ଷ୍ଟାଇଲ୍ର ଇମେଜ୍ ଶେୟାର କରୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଏହି ଏକ ଭୁଲ୍ ଆପଣଙ୍କ ଉପରେ ହିଁ ଭାରୀ ପଡ଼ିପାରେ?
ChatGPT ଦେଖିବା ପରେ ଏଲନ୍ ମସ୍କ ତାଙ୍କ ଏଆଇ ଚାଟବଟ୍ Grok 3ରେ ମଧ୍ୟ ଘିବ୍ଲି ଷ୍ଟାଇଲ୍ ଇମେଜ୍ ତିଆରି କରିବାର ଫିଚର ଯୋଡ଼ି ଦେଇଛନ୍ତି। କିନ୍ତୁ ଏବେ ଡିଜିଟାଲ୍ ଗୋପନୀୟତା (ପ୍ରାଇଭେସୀ) ନେଇ ଚିନ୍ତା ବଢ଼ିବାରେ ଲାଗିଛି। ମିଡିଆ ରିପୋର୍ଟ ଅନୁସାରେ, ସାଇବର ଏକ୍ସପର୍ଟମାନେ ପ୍ରଶ୍ନ ଉଠାଉଛନ୍ତି ଯେ ଓପନ୍ଏଆଇ ଏହି ନୂଆ ଟ୍ରେଣ୍ଡର ଆଳରେ ହଜାର ହଜାର ବ୍ୟକ୍ତିଗତ ଫଟୋ ସଂଗ୍ରହ କରି ଏଆଇ ଟ୍ରେନିଂ ପାଇଁ ବ୍ୟବହାର କରିପାରେ।
ଏକପାଖରେ ଲୋକମାନେ ଏହି ନୂଆ ଟ୍ରେଣ୍ଡର ମଜା ନେଉଛନ୍ତି, ଅନ୍ୟପାଖରେ ଏକ୍ସପର୍ଟମାନେ ଚେତାବନୀ ଦେଇଛନ୍ତି ଯେ ଲୋକମାନେ ଅଜାଣତରେ ଓପନ୍ଏଆଇକୁ ନିଜର ଚେହେରାର ତାଜା ଡାଟା ଦେଉଛନ୍ତି, ଯାହା ଗୋପନୀୟତା ସହ ଜଡ଼ିତ ଗମ୍ଭୀର ଚିନ୍ତା ସୃଷ୍ଟି କରିପାରେ। ମୋଟାମୋଟି ଭାବେ ଆପଣଙ୍କ ବ୍ୟକ୍ତିଗତ ଫଟୋର ସୁରକ୍ଷା ଉପରେ ଏକ ବଡ଼ ବିପଦ ମାଡ଼ି ଆସୁଛି।
ବିପଦ ହିଁ ବିପଦ
‘ହିମାଚଲ ସାଇବର ଓ୍ୱାରିୟର୍ସ’ ନାମକ ଏକ X ଆକାଉଣ୍ଟ ରହିଛି, ଯିଏ ନିଜକୁ ସାଇବର ସିକ୍ୟୁରିଟି ଏକ୍ସପର୍ଟଙ୍କ ଟିମ୍ ବୋଲି ଦାବି କରୁଛି। ଏହି ଆକାଉଣ୍ଟରୁ ଏକ ପୋଷ୍ଟ କରାଯାଇଛି, ଯେଉଁଥିରେ ବ୍ୟକ୍ତିଗତ ଫଟୋକୁ ଏହି ପ୍ଲାଟଫର୍ମଗୁଡ଼ିକରେ ଅପଲୋଡ୍ କରିବାର ବିପଦ ବିଷୟରେ ସତର୍କ କରାଯାଇଛି।
- ଫଟୋର ଦୁରୁପଯୋଗ ହୋଇପାରେ:
ଆପଣଙ୍କ ଫଟୋର ଅପବ୍ୟବହାର କିମ୍ବା ଭୁଲ୍ ବ୍ୟବହାର କରାଯାଇପାରେ। - ଅନୁମତି ବିନା ଏଆଇ ଟ୍ରେନିଂ:
ଆପଣଙ୍କ ସହମତି ବିନା ଫଟୋକୁ ଏଆଇ ତାଲିମ ପାଇଁ ବ୍ୟବହାର କରାଯାଇପାରେ। - ଡାଟା ବ୍ରୋକର୍ସ ଦ୍ୱାରା ବିକ୍ରି:
ଡାଟା ବ୍ରୋକର୍ସ ଟାର୍ଗେଟେଡ୍ ବିଜ୍ଞାପନ ପାଇଁ ଆପଣଙ୍କ ଫଟୋ ବିକ୍ରି କରିପାରନ୍ତି।
ଧ୍ୟାନ ଦିଅନ୍ତୁ
ଓପନ୍ଏଆଇ ଏପର୍ଯ୍ୟନ୍ତ ଘିବ୍ଲି-ଷ୍ଟାଇଲ୍ ଏଆଇ ଇମେଜ୍ ଆର୍ଟ ଭର୍ସନ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ବ୍ୟକ୍ତିଗତ ଡାଟାର ସୁରକ୍ଷା ସମ୍ପର୍କରେ କୌଣସି ବୟାନ ଜାରି କରିନାହିଁ। କମ୍ପାନୀ ପକ୍ଷରୁ କୌଣସି ବୟାନ ଆସିନଥିଲେ ମଧ୍ୟ ଗୋପନୀୟତା ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ତେବେ ଘିବଲି ଚକ୍କରରେ ପଡ଼ି ଆପଣ ନିଜର ବ୍ୟକ୍ତିଗତ ଫଟୋକୁ ଏଆଇ ପ୍ଲାଟଫ୍ରମରେ ସେୟାର କରିବେ କି ନାହିଁ ତାହା ଆପଣଙ୍କ ବ୍ୟକ୍ତିଗତ ନିଷ୍ପତି ହୋଇପାରେ ।