୬୫ ବର୍ଷ ତଳେ ଆସିଥିଲା ୯.୫ ତୀବ୍ରତାର ଭୂକମ୍ପ,୧୦ ମିନିଟ ଯାଏ ଦୋହଲିଥିଲା ଚିଲିର ଭାଲଦିଭିଆ

chili


୨୮ ମାର୍ଚ୍ଚରେ ଆସିଥିବା ଭୂକମ୍ପ ସମଗ୍ର ଉତ୍ତର ଭାରତରୁ ମ୍ୟାନମାର ପର୍ଯ୍ୟନ୍ତ ଅଞ୍ଚଳକୁ ଦୋହଲାଇ ଦେଇଥିଲା। ଏହାର ତୀବ୍ରତା ୭.୨ ଥିଲା, ଯାହାକୁ ବହୁତ ବିପଜ୍ଜନକ ବୋଲି ବିବେଚନା କରାଯାଏ। ଆପଣ ଜାଣିଛନ୍ତି କି ବିଶ୍ୱରେ ୯.୫ ତୀବ୍ରତାର ଭୂକମ୍ପ ମଧ୍ୟ ଆସିଛି? ଏପରି ଘଟଣା କେବଳ ଗୋଟିଏ ଥର ଘଟିଛି, ଯେତେବେଳେ ଏତେ ଉଚ୍ଚ ତୀବ୍ରତାର ଭୂକମ୍ପ ବିଶ୍ୱରେ ଆସିଥିଲା। ଏହା ସବୁକିଛି ଧ୍ୱଂସ କରି ଦେଇଥିଲା।

ଚିଲିରେ ଆସିଥିଲା ୯.୫ ତୀବ୍ରତାର ଭୂକମ୍ପ

ଏହି ଭୟଙ୍କର ଭୂକମ୍ପ ୧୯୬୦ ମସିହାରେ ଚିଲିର ଭାଲଦିଭିଆରେ ଆସିଥିଲା। ସବୁଠାରୁ ବଡ଼ କଥା ଏହା ଯେ, ଏହି ଭୂକମ୍ପ ପ୍ରାୟ ୧୦ ମିନିଟ୍‌ ପର୍ଯ୍ୟନ୍ତ ଝଟକା ଦେଇ ଚାଲିଥିଲା। ଏହା ଫଳରେ ଭୟଙ୍କର ସୁନାମି ତରଙ୍ଗ ଉଠିଥିଲା। ଭାଲଦିଭିଆ ହେଉଛି ଚିଲିର ଏକ ସମୁଦ୍ର ତଟୀୟ ଅଞ୍ଚଳ। ଏହାର ତୀବ୍ରତା ଏତେ ଅଧିକ ଥିଲା ଯେ ଆଜି ପର୍ଯ୍ୟନ୍ତ ସହଜରେ ଏହିକଥାକୁ ବିଶ୍ୱାସ କରିହୁଏ ନାହିଁ। ଏହା ୯.୫ ତୀବ୍ରତାର ଥିଲା, ଯାହାକୁ ଅସମ୍ଭବ ବୋଲି ଗଣାଯାଏ। ଏହାକୁ ଆଜି ମଧ୍ୟ “ଗ୍ରେଟ ଚିଲିୟନ ଭୂକମ୍ପ” କୁହାଯାଏ। ଏହା ୨୨ ମଇ ୧୯୬୦ରେ ଆସିଥିଲା। ରେକର୍ଡ ଅନୁସାରେ, ଏହା ବିଶ୍ୱରେ ଏ ପର୍ଯ୍ୟନ୍ତ ଆସିଥିବା ସବୁଠାରୁ ଶକ୍ତିଶାଳୀ ଝଟକା ଥିଲା।

୧୦ ମିନିଟ୍‌ ପର୍ଯ୍ୟନ୍ତ ରହିଥିବା ଭୂକମ୍ପ
ବିଭିନ୍ନ ଅଧ୍ୟୟନ ଏହାର ତୀବ୍ରତାକୁ ୯.୪ରୁ ୯.୬ ମଧ୍ୟରେ ମାନିଛନ୍ତି। ଏହା ସ୍ଥାନୀୟ ସମୟ ଅନୁସାରେ ଦିନ ୩:୧୧ରେ ଆସିଥିଲା। ସାଧାରଣତଃ ଭୂକମ୍ପର ଝଟକା କିଛି ସେକେଣ୍ଡ କିମ୍ବା ଏକ-ଦୁଇ ମିନିଟ୍‌ ପର୍ଯ୍ୟନ୍ତ ରହିଥାଏ, କିନ୍ତୁ ଏହି ଝଟକାରେ ଭାଲଦିଭିଆ ସହର ୧୦ ମିନିଟ୍‌ ପର୍ଯ୍ୟନ୍ତ ଦୋହଲି ଚାଲିଥିଲା। ଏହା ଫଳରେ ଶକ୍ତିଶାଳୀ ସୁନାମି ସୃଷ୍ଟି ହୋଇଥିଲା, ଯାହା ଦକ୍ଷିଣ ଚିଲିରୁ ହାୱାଇ, ଜାପାନ, ଫିଲିପାଇନ୍ସ, ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା।

ଯେହେତୁ ଏହି ସହରର ଜନସଂଖ୍ୟା ଅଧିକ ନ ଥିଲା, ତେଣୁ ଏଠାରେ ମୃତ୍ୟୁ ସଂଖ୍ୟା ବେଶି ହୋଇ ନଥିଲା। ଯାହା ଅନୁମାନ କରାଯାଇଥିଲା, ତାହା ଅନୁସାରେ ମୃତ୍ୟୁ ସଂଖ୍ୟା ୧୦୦୦ରୁ ୬୦୦୦ ମଧ୍ୟରେ ଥିଲା। ଭିନ୍ନ ଭିନ୍ନ ସୂତ୍ରରେ ଭିନ୍ନ ଦାବି ରହିଥିଲା। ତେବେ କ୍ଷୟକ୍ଷତି ବଡ଼ ପରିମାଣରେ ହୋଇଥିଲା। କିନ୍ତୁ ସବୁଠାରୁ ବଡ଼ କଥା ଏହାର ଅତ୍ୟଧିକ ତୀବ୍ରତା ନେଇ ରହିଥିଲା, ଯାହା ଆଜି ମଧ୍ୟ ପ୍ରାୟ ଅବିଶ୍ୱସନୀୟ ଲାଗେ। ବିଜ୍ଞାନ କହୁଛି ଯେ ବିଶ୍ୱରେ କେବେ ହେଲେ ୧୦ ତୀବ୍ରତାର ଭୂକମ୍ପ ଆସିପାରିବ ନାହିଁ, ଏହାର କାରଣ କଣ, ତାହା ଆମେ ଆଗକୁ କହିବୁ।

ସାଧାରଣତଃ କେତେ ତୀବ୍ରତାର ଭୂକମ୍ପ ଆସେ?
ସାଧାରଣତଃ ୬ରୁ ୮ ତୀବ୍ରତା ମଧ୍ୟରେ ଥିବା ଭୂକମ୍ପ ଭୟଙ୍କର ତାଣ୍ଡବ ସୃଷ୍ଟି କରିଥାଏ । ଯଦି ଏହା ଅଳ୍ପ ସମୟ ପାଇଁ ମଧ୍ୟ ଝଟକା ଦିଏ,ତେବେ ମଧ୍ୟ ଧ୍ୱଂସଲୀଳା ଘଟିଥାଏ। ପ୍ରାୟତଃ ଏହି ପ୍ରଶ୍ନ ଉଠିଥାଏ ଯେ ଭୂକମ୍ପର ସର୍ବାଧିକ ତୀବ୍ରତା କେତେ ହୋଇପାରେ? କ’ଣ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୧୦ ହୋଇପାରିବ?

୧୦ ତୀବ୍ରତାର ଭୂକମ୍ପ ଆସିପାରିବ କି?
ଯଦି ବିଜ୍ଞାନକୁ ଏହାର ଉତ୍ତର ଦେବାକୁ ପଡ଼େ, ତେବେ ଆମେରିକାର ଭୂକମ୍ପ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରୁଥିବା ସାଇଟ୍‌ USGS କହୁଛି ଯେ ଏପରି କେବେ ହୋଇପାରିବ ନାହିଁ, ଅର୍ଥାତ୍‌ ବିଶ୍ୱରେ ସମ୍ଭବତଃ ୧୦ ତୀବ୍ରତାର ଭୂକମ୍ପ କେବେ ଆସିବ ନାହିଁ। ଏହା ପଛରେ ନିଶ୍ଚିତ କିଛି କାରଣ ରହିଛି।

“୪୦ ବର୍ଷରେ ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ପଶ୍ଚିମ ନ୍ୟୁୟର୍କକୁ ଚମକାଇ ଦେଇଛି”
ବୈଜ୍ଞାନିକମାନେ ଅନେକ ଅଧ୍ୟୟନ ପରେ କହୁଛନ୍ତି ଯେ ବଡ଼ ଭୂକମ୍ପ ଏବଂ ତାହାର ତୀବ୍ରତା ଫଲ୍ଟ ଲାଇନ୍‌ ଉପରେ ନିର୍ଭର କରେ। ବୈଜ୍ଞାନିକ ତଥ୍ୟ ଅନୁସାରେ, ପୃଥ୍ୱୀର ଆକାର ଏହାର ଫଲ୍ଟର ଲମ୍ବ ଉପରେ ନିର୍ଭର କରେ। ଯଦି ଫଲ୍ଟ ଲାଇନ୍‌ ଲମ୍ବା ହୁଏ, ତେବେ ଭୂକମ୍ପ ମଧ୍ୟ ବଡ଼ ହେବ। ଫଲ୍ଟ ହେଉଛି ଚଟାଣର ସେହି ଭାଙ୍ଗିଯାଇଥିବା ଅଂଶ, ଯାହା ପୃଥ୍ୱୀର ନିମ୍ନଭାଗରେ ରହିଥାଏ ଏବଂ ପୃଥିବୀ ଉପରିଭାଗ କ୍ରଷ୍ଟ ସହ ଘର୍ଷଣ କରିଥାଏ। ଏହା ଏତେ ବଡ଼ ନ ହେବା କାରଣରୁ ଏ ପର୍ଯ୍ୟନ୍ତ ପୃଥ୍ୱୀରେ ୧୦ ତୀବ୍ରତାର ଭୂକମ୍ପ ଆସିନାହିଁ। ଯଦି କେବେ ଏପରି ହୁଏ, ତେବେ ପୃଥ୍ୱୀର ଏକ ବଡ଼ ଅଂଶ ଏହାର ପ୍ରଭାବରେ ଆସିଯିବ। ଚିଲିରେ ଆସିଥିବା ୯.୫ ତୀବ୍ରତାର ଭୂକମ୍ପର ଫଲ୍ଟ ଲାଇନ୍‌ ୧୦୦୦ ମାଇଲ୍‌ ଲମ୍ବା ଥିଲା।

ଭୂକମ୍ପ କାହିଁକି ଆସେ?
ଆମ ପୃଥିବୀ ମୁଖ୍ୟତଃ ଚାରିଟି ସ୍ତରରେ ଗଠିତ – ଇନର କୋର, ଆଉଟର କୋର, ମ୍ୟାଣ୍ଟଲ ଓ କ୍ରଷ୍ଟ। କ୍ରଷ୍ଟ ଏବଂ ଉପରି ମ୍ୟାଣ୍ଟଲକୁ ଲିଥୋସ୍ଫିୟର କୁହାଯାଏ। ଏହି ୫୦ କିଲୋମିଟର ମୋଟା ସ୍ତର ଖଣ୍ଡ ଖଣ୍ଡରେ ବିଭକ୍ତ, ଯାହାକୁ ଟେକ୍ଟୋନିକ ପ୍ଲେଟ୍ସ କୁହାଯାଏ। ଏହି ଟେକ୍ଟୋନିକ ପ୍ଲେଟ୍ସ ନିଜ ସ୍ଥାନରୁ ଖସି ଚାଲିଥାଏ, କିନ୍ତୁ ଯେତେବେଳେ ଏହା ଅତ୍ୟଧିକ ହଲିଯାଏ, ତେବେ ଭୂକମ୍ପ ଆସିଥାଏ। ଏହି ପ୍ଲେଟ୍ସ କ୍ଷେତିଜ ଓ ଉଲ୍ଲମ୍ବ ଉଭୟ ପ୍ରକାରେ ନିଜ ସ୍ଥାନରୁ ଖସିପାରେ। ଏହାପରେ ସେମାନେ ନିଜର ସ୍ଥାନ ଖୋଜିଥାନ୍ତି। ଏହି ସମୟରେ ଗୋଟିଏ ପ୍ଲେଟ୍‌ ଅନ୍ୟଟିର ତଳକୁ ଚାଲିଯାଏ।

କେଉଁ ଭୂକମ୍ପକୁ ହାଲୁକା ଓ କେଉଁଟିକୁ ଭୟଙ୍କର ମାନିବେ?
ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ ଅନୁସାରେ ମାପାଯାଏ। କିଛି ଭୂକମ୍ପ ଏପରି ହୋଇଥାଏ ଯେ ସେଗୁଡ଼ିକ ଆସିଚାଲିଥାଏ ଓ ଜଣାପଡ଼େ ନାହିଁ। ଅନେକ ସମୟରେ ମେସିନ୍‌ଗୁଡ଼ିକ ମଧ୍ୟ ସେଗୁଡ଼ିକୁ ଧରିପାରନ୍ତି ନାହିଁ, କାରଣ ସେଗୁଡ଼ିକ ବହୁତ ହାଲୁକା ହୋଇଥାଏ।

  • ୦ରୁ ୧.୯: କେବଳ ସିସ୍ମୋଗ୍ରାଫ ଦ୍ୱାରା ଜଣାପଡ଼େ
  • ୨ରୁ ୨.୯: ହାଲୁକା କମ୍ପନ
  • ୩ରୁ ୩.୯: କୌଣସି ଟ୍ରକ୍‌ ଆପଣଙ୍କ ପାଖ ଦେଇ ଗତି କରିବା ଭଳି ଅନୁଭବ
  • ୪ରୁ ୪.୯: ଝରକା ଭାଙ୍ଗିପାରେ, କାନ୍ଥରେ ଟଙ୍ଗା ଯାଇଥିବା ଫ୍ରେମ୍‌ ଖସିପାରେ
  • ୫ରୁ ୫.୯: ଆସବାବପତ୍ର ହଲିପାରେ
  • ୬ରୁ ୬.୯: ଅଟାଳିକା ଭିତ୍ତିଭୂମି ଫାଟିପାରେ, ଉପର ମହଲାକୁ କ୍ଷତି ହୋଇପାରେ
  • ୭ରୁ ୭.୯: ଅଟାଳିକା ପଡ଼ିଯାଏ, ଜମି ତଳେ ଥିବା ପାଇପ୍‌ ଫାଟିଯାଏ
  • ୮ରୁ ୮.୯: ଅଟାଳିକା ସହ ବଡ଼ ପୋଲଗୁଡ଼ିକ ମଧ୍ୟ ପଡ଼ିଯାଏ
  • ୯ ଓ ତା’ଠାରୁ ଅଧିକ: ସମ୍ପୂର୍ଣ୍ଣ ଧ୍ୱଂସଲୀଳା। କୌଣସି ମୈଦାନରେ ଠିଆ ହୋଇଥିଲେ ପୃଥିବୀ ଲହରୀ ମାରୁଥିବା ଭଳି ଲାଗିବ। ଯଦି ସମୁଦ୍ର ନିକଟରେ ଥାଏ, ତେବେ ସୁନାମି ଆସିବାର ପୂର୍ଣ୍ଣ ଆଶଙ୍କା

ଜନ୍ତୁମାନଙ୍କୁ କ’ଣ ଭୂକମ୍ପର ପୂର୍ବାନୁମାନ ହୋଇଯାଏ?
କୁହାଯାଏ ଯେ ଭୂକମ୍ପ ଆସିବା ପୂର୍ବରୁ ଜନ୍ତୁମାନେ ଅଦ୍ଭୂତ ବ୍ୟବହାର କରିଥାନ୍ତି, ଯାହାଦ୍ୱାରା ଲାଗେ ଯେ ସେମାନଙ୍କୁ ଏହାର ପୂର୍ବାନୁମାନ ହୋଇଯାଏ। ଏହାର ଉଲ୍ଲେଖ ୩୭୩ ବର୍ଷ ଖ୍ରୀଷ୍ଟ ପୂର୍ବରେ ଗ୍ରୀକରେ ଆସିଥିବା ଭୂକମ୍ପ ସମ୍ବନ୍ଧରେ ମିଳିଥାଏ।

ସେତେବେଳେ ଭୂକମ୍ପ ଆସିବାର କିଛି ଦିନ ପୂର୍ବରୁ ହିଁ ଇଁଦୁର, କୀଟପତଙ୍ଗ, ସାପ ଆଦି ନିଜ ବିଲରୁ ବାହାରକୁ ଆସିପଡ଼ିଥିଲେ। ଏହାପରେ ସେମାନେ ସମସ୍ତେ କୌଣସି ସୁରକ୍ଷିତ ସ୍ଥାନ ଆଡ଼କୁ ଚାଲି ଯାଇଥିଲେ। ଏହି ଉଲ୍ଲେଖ ମଧ୍ୟ ମିଳେ ଯେ ଭୂକମ୍ପ ଆସିବାର କିଛି ସମୟ ପୂର୍ବରୁ ଜନ୍ତୁ, ମାଛ, ପକ୍ଷୀ, ସରୀସୃପ ଓ କୀଟପତଙ୍ଗମାନେ ଅଜଣା ବ୍ୟବହାର କରିବାକୁ ଲାଗନ୍ତି। ବୈଜ୍ଞାନିକମାନେ ଚୀନ ଓ ଜାପାନରେ ଏପରି ଜିନିଷର ଅଧ୍ୟୟନ ମଧ୍ୟ କରିଛନ୍ତି।

ଚୀନରେ କିଛି ଦଶନ୍ଧି ପୂର୍ବେ ଏକ ଭୂକମ୍ପ ସମ୍ବନ୍ଧରେ ଭବିଷ୍ୟବାଣୀ କରାଯାଇଥିଲା, କାରଣ ସେଠାରେ ଅନେକ ଛୋଟ ଭୂକମ୍ପ ଆସୁଥିଲା ଏବଂ ଜନ୍ତୁମାନଙ୍କର ଗତିବିଧି ଅଦ୍ଭୁତ ଥିଲା। ଯାହାକୁ ଦେଖି ଅନେକ ଲୋକ ନିଜ ଘର ବାହାରେ ଶୋଇବାକୁ ଲାଗିଥିଲେ ଏବଂ ଯେତେବେଳେ ପ୍ରକୃତରେ ବଡ଼ ଭୂକମ୍ପ ଆସିଥିଲା, ସେତେବେଳ ବଡ଼ଧରଣ ଧ୍ୱଂସଲୀଳା ଆସିଥିଲା କିନ୍ତୁ ମୃତହାତଙ୍କ ସଂଖ୍ୟା କମ ଥିଲା ।

ଭୂକମ୍ପର ଅନୁମାନ କରାଯାଇପାରିବ କି?
ନାଁ, ବିଶ୍ୱର କୌଣସି ବୈଜ୍ଞାନିକ ସଂସ୍ଥା କିମ୍ବା ଅନୁଷ୍ଠାନ ଏହା ଜାଣିପାରିବ ନାହିଁ ଯେ ଭୂକମ୍ପ ଆସିବାକୁ ଯାଉଛି। ବୈଜ୍ଞାନିକମାନେ ଏ ପର୍ଯ୍ୟନ୍ତ ଏହା ଜାଣିବାରେ ବିଫଳ ହୋଇଛନ୍ତି ଯେ ଭୂକମ୍ପ କେବେ, କେଉଁ ତୀବ୍ରତାର ଏବଂ କେଉଁଠାରେ ଆସିବ। ହଁ, USGSର ବୈଜ୍ଞାନିକମାନେ ଏହା ଗଣନା କରିପାରନ୍ତି ଯେ କୌଣସି ଭୂକମ୍ପ ଆସିପାରେ, କିନ୍ତୁ ଏହା ନିଶ୍ଚିତ ହୋଇନଥାଏ। ଏକ ଭୂକମ୍ପ ସମ୍ବନ୍ଧରେ ଜାଣିବା ପାଇଁ ତିନୋଟି ଜିନିଷ ଜରୁରୀ – ୧. ସମୟ ଓ ତାରିଖ, ୨. ସ୍ଥାନ, ୩. ତାହାର ତୀବ୍ରତା।
ହଁ, କିଛି ଲୋକ ଦାବି କରିଛନ୍ତି ଯେ ସେମାନେ ଭୂକମ୍ପର ଅନୁମାନ କରିପାରନ୍ତି, କିନ୍ତୁ ସେମାନଙ୍କ ଦାବି ସାଧାରଣତଃ ଭୁଲ ପ୍ରମାଣିତ ହୋଇଛି। ଏହି ସମସ୍ତ ଭବିଷ୍ୟବାଣୀ ବହୁତ ସାଧାରଣ ପ୍ରକାରର ରହିଛି।

ଭୂକମ୍ପ କ’ଣ ପାଗ କାରଣରୁ ଆସେ?
ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ଏରିଷ୍ଟୋଟଲ୍‌ କହିଥିଲେ ଯେ ଭୂକମ୍ପ ଆସିବାର କାରଣ ପବନ ହୋଇଥାଏ। ଯେତେବେଳେ ଏହି ପବନକୁ ଆଗକୁ ବଢ଼ିବାର ରାସ୍ତା ମିଳେ ନାହିଁ, ତେବେ ଏହା ଚାପ ସୃଷ୍ଟି କରିଥାଏ ଏବଂ ଯେତେବେଳେ ପବନ ତୀବ୍ର ଗତିରେ ବହେ, ତେବେ ଭୂକମ୍ପ ଆସିଥାଏ। ପରେ କୁହାଯାଇଥିଲା ଯେ ଯେତେବେଳେ ଆକାଶରେ ଅଧିକ ମେଘ ଛାଇ ରହେ ଏବଂ ତୀବ୍ର ପବନ ବହେ କିମ୍ବା ଝଡ଼ତୋଫାନ ଆସେ, ତେବେ ଭୂକମ୍ପ ଆସିପାରେ। କିନ୍ତୁ ବୈଜ୍ଞାନିକ ଗବେଷଣା ପରେ ଏହି କଥାଗୁଡ଼ିକ ଠିକ୍‌ ନୁହେଁ ବୋଲି ପ୍ରମାଣିତ ହୋଇଛି। ବୈଜ୍ଞାନିକମାନେ ଜାଣିପାରିଛନ୍ତି ଯେ ପାଗ ଭୂକମ୍ପରେ କୌଣସି ଭୂମିକା ନିଭାଏ ନାହିଁ।

Leave a Reply

Your email address will not be published. Required fields are marked *