ଖରା ଦିନ ଆରମ୍ଭ ହୋଇଗଲାଣି। ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି। ଲୋକମାନଙ୍କୁ ଖରାରେ ଅଫିସ୍ ଯିବାକୁ ହେଉଛି କିମ୍ବା ବଜାରକୁ, ପ୍ରଚଣ୍ଡ ଖରାର ସାମ୍ନା କରିବାକୁ ପଡୁଛି, ଯାହା ଫଳରେ ଅସୁସ୍ଥ ହେବା କିମ୍ବା ଅଂଶୁଘାତ ହେବାର ଭୟ ରହିଛି। ଏପରି ସ୍ଥିତିରେ ଅଂଶୁଘାତ ଏବଂ ପ୍ରଚଣ୍ଡ ଗରମରେ ଶରୀରରେ ପାଣିର ଅଭାବ ନ ହେଉ, ତା’ ପାଇଁ ଅଧିକରୁ ଅଧିକ ପାଣି ପିଇବାକୁ ପରାମର୍ଶ ଦିଆଯାଏ। ଏହି ଋତୁରେ ଆପଣ ମଧ୍ୟ ନିଜକୁ ସତେଜ ରଖିବାକୁ ଚାହୁଁଛନ୍ତି ତେବେ ଲେମ୍ବୁ ପାଣିର ସେବନ କରିପାରିବେ। ଲେମ୍ବୁର ସେବନ ଶରୀର ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ।
ଲେମ୍ବୁରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ମିଳିଥାଏ। ଏଥିରେ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମଧ୍ୟ ରହିଛି, ଯାହା ଶରୀରକୁ ଗ୍ରୀଷ୍ମରେ ସତେଜ ରଖିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଏଠାରେ ଲେମ୍ବୁର ଫାଇଦା ବିଷୟରେ ଜାଣିବା।
ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ପ୍ରଚୁର ମାତ୍ରାରେ ଥାଏ। ଏହା ଶରୀରକୁ ଡିହାଇଡ୍ରେସନ୍ର ଶିକାର ହେବାରୁ ରକ୍ଷା କରିଥାଏ। ଯେବେ ଶରୀର ହାଇଡ୍ରେଟେଡ୍ ରହିବ, ତେବେ ଅଂଶୁଘାତରୁ ମଧ୍ୟ ବଞ୍ଚିବେ।
ଯଦି ଆପଣ ଲେମ୍ବୁର ବ୍ୟବହାର କରନ୍ତି, ତେବେ ଏହା ଆପଣଙ୍କ ଶରୀରରେ ଖରାପ କୋଲେଷ୍ଟ୍ରଲ୍ ବୃଦ୍ଧି ପାଇବାକୁ ରୋକିଥାଏ। ହୃଦୟ ମଧ୍ୟ ଏହାଦ୍ୱାରା ବେଶ୍ ଭଲ ରହିଥାଏ। ସାଙ୍ଗକୁ ଲେମ୍ବୁର ବ୍ୟବହାର ଦ୍ୱାରା ଶରୀରରେ ନର୍ଭଗୁଡ଼ିକ ସଚଳ ରହିଥାଏ।
ସବୁଠାରୁ ବଡ଼ କଥା ହେଲା, କମ୍ ପାଣି ପିଇବା ଫଳରେ ଆଜିକାଲି ଯୁବକମାନଙ୍କୁ କିଡ୍ନି ଷ୍ଟୋନ୍ର ସମସ୍ୟା ଅଧିକ ଦେଖାଯାଉଛି। ଏପରି ସ୍ଥିତିରେ ଯଦି ଆପଣ ଲେମ୍ବୁର ସେବନ କରନ୍ତି, ତେବେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ। ଅନେକ ଦୃଷ୍ଟିରୁ ଲେମ୍ବୁ ଶରୀର ପାଇଁ ବେଶ୍ ଲାଭଦାୟକ।

ଜାଣନ୍ତୁ ଲେମ୍ବୁର ଫାଇଦା:
– ଶରୀରରେ ପାଣିର ଅଭାବ ଅନୁଭବ ହେବ ନାହିଁ
– ଅଂଶୁଘାତରୁ ବଞ୍ଚିବେ
– ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ
– ହୃଦୟର ସ୍ୱାସ୍ଥ୍ୟକୁ ଭଲ ରଖିଥାଏ
– କିଡ୍ନି ଷ୍ଟୋନ୍ ହେବାରୁ ରକ୍ଷା କରିଥାଏ
– ଖରାପ କୋଲେଷ୍ଟ୍ରଲ୍କୁ କମ୍ କରିଥାଏ
– ଚର୍ମକୁ ତୈଳିୟ ହେବାରୁ ରୋକିଥାଏ
– ମୁହଁରେ ବ୍ରଣ ହେବାରୁ ମଧ୍ୟ ରକ୍ଷା କରିଥାଏ
ଲେମ୍ବୁର ବ୍ୟବହାର କିପରି କରିବେ?
– ଲେମ୍ବୁ ପାଣି ସହିତ ପିଇପାରିବେ
– ଲେମ୍ବୁର ବ୍ୟବହାର ଛତୁଆ ସହିତ କରିପାରିବେ
– ଲେମ୍ବୁର ବ୍ୟବହାର ସୋଡା ସହିତ ମଧ୍ୟ କରିପାରିବେ
ଲେମ୍ବୁରେ ମିଳୁଥିବା ପୋଷକ ତତ୍ତ୍ୱ:
ଲେମ୍ବୁରେ ଭିଟାମିନ୍ ସି, ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ମିଳିଥାଏ, କିନ୍ତୁ ସବୁଠାରୁ ଅଧିକ ମାତ୍ରାରେ ଭିଟାମିନ୍ ସି ରହିଥାଏ।