‘ପିରିୟଡ୍ ମୋତେ ଦୁଷ୍କର୍ମରୁ ବଞ୍ଚାଇଲା, ହମାସର କବଳରୁ ମୁକୁଳିଥିବା ୩୧ ବର୍ଷୀୟା ଇଲାନା ବଖାଣିଲେ ତାଙ୍କ ଭୟଙ୍କର ଅନୁଭବ

ଇସ୍ରାଏଲୀ ମହିଳା ଇଲାନା ଗ୍ରିଚୋଭ୍ସ୍ ହମାସର ବନ୍ଦୀ ଭାବେ ନିଜର ଭୟାନକ ଅନୁଭବ ବିଷୟରେ ଖୁଲାସା କରିଛନ୍ତି। ୭ ଅକ୍ଟୋବର ୨୦୨୩ରେ ଅପହରଣ ପରେ ତାଙ୍କୁ ଜବରଦସ୍ତି ଏକ ସ୍ଥାନକୁ ନିଆଯାଇଥିଲା ଯେଉଁଠାରେ ତାଙ୍କର ଯୌନ ଉତ୍ପୀଡ଼ନ କରାଯାଇଥିଲା। ହମାସ ଯୋଦ୍ଧାମାନଙ୍କ ସହ ବଳପୂର୍ବକ ବିବାହ କରାଇବାର ଧମକ ଦିଆଯାଇଥିଲା। ଇଲାନା କହିଛନ୍ତି ଯେ ସେଦିନ ତାଙ୍କୁ ପିରିୟଡ୍ସ୍ ନହୋଇଥିଲେ ହମାସ ଆତଙ୍କବାଦୀ ତାଙ୍କ ସହ ବଳାତ୍କାର କରିଥାନ୍ତେ।

 ମୁକ୍ତ ହେବା ପରେ କହିଲେ  ଭୟଙ୍କର କାହାଣୀ

ଗ୍ରିଚୋଭସଙ୍କ କହିବା ଅନୁସାରେ, ୭ ଅକ୍ଟୋବର ୨୦୨୩ରେ ହମାସର ଆତଙ୍କବାଦୀ ତାଙ୍କର ଅପହରଣ କରିଥଇଲେ । ଏହାପରେ ତାଙ୍କୁ ବାଇକ୍ରେ ଏକ ସ୍ଥାନକୁ ନିଆଯାଇଥିଲା। ଗ୍ରିଚୋଭସ କହିଛନ୍ତି ଯେ ଯେତେବେଳେ ତାଙ୍କୁ ହୋସ ଆସିଲା, ସେତେବେଳେ ସେ ଗୋଟିଏ ଘରେ ଚଟାଣ ଉପରେ ନିଜକୁ ଆବିଷ୍କାର କରିଥିଲେ । ସେ ଉଲଗ୍ନ ଥିଲେ  ଏବଂ ସାମ୍ନାରେ ହମାସର ୭ ଜଣ ଆତଙ୍କବାଦୀ ତାଙ୍କ ନଗ୍ନ ଶରିରକୁ ଦେଖୁଥିଲେ ।

ଦ ନ୍ୟୁୟର୍କ ଟାଇମ୍ସକୁ ଦିଆଯାଇଥିବା ସାକ୍ଷାତ୍କାରରେ ଗ୍ରିଚୋଭସ କହିଛନ୍ତି ଯେ ମୁଁ ଯନ୍ତ୍ରଣାରେ ଥରୁଥିଲି ।  ମୋତେ ଜଣା ନଥିଲା ଯେ ମୋତେ ସେଠାକୁ କାହିଁକି ଅଣାଯାଇଛି ।  ମୁଁ ସେମାନଙ୍କୁ ସେତେବେଳେ କହିଥିଲି ଯେ ମୋର ଏବେ ପିରିୟଡ୍ସ୍ ଚାଲିଛି ।  ଏହା ଶୁଣି ହମାସ ଯୋଦ୍ଧାମାନେ ହସିବାକୁ ଲାଗିଲେ। ଗ୍ରିଚୋଭସ କହିଛନ୍ତି ଯେ ପିରିୟଡ୍ସ୍ କାରଣରୁ ହିଁ ହମାସ ଯୋଦ୍ଧାମାନେ ତାଙ୍କ ଦୁଷ୍କର୍ମ କରିନଥିଲେ। ନଚେତ୍ ସେଦିନ ତାଙ୍କ ସହ ରେପ୍ ଘଟଣା ଘଟିଥାନ୍ତା।

ହମାସ ଆତଙ୍କବାଦୀଙ୍କ ସହ ବିବାହ କରାଇବାକୁ ଧମକ

ଗ୍ରିଚୋଭ୍ସ୍କଙ୍କ କହିବା ଅନୁସାରେ, ବନ୍ଦୀ ଅବସ୍ଥାରେ ମୁଁ କିଛି ଦିନ ସେଠାରେ ରହିଲି। ଏହାପରେ ମୋର ଅବସ୍ଥାନ ବଦଳାଇ ଦିଆଗଲା। ନୂଆସ୍ଥାନରେ ହମାସ ଆତଙ୍କବାଦୀ,ସେମାନେ ମୋର ବିବାହ ଜଣେ ହମାସ ସଦସ୍ୟ ସହିତ ହେବ ବୋଲି କହିଥିଲେ । ଗ୍ରିଚୋଭସଙ୍କ ଅନୁସାରେ ହମାସ ଆତଙ୍କବାଦୀ ତାଙ୍କୁ କହିଥିଲେ ଯେ, ତୁମେ ଏଠାରେ ବିବାହ କରିବ ଓ ପିଲା ଜନ୍ମ କରିବ ।

ଗ୍ରିଚୋଭ୍ସ୍କଙ୍କ କହିବା ଅନୁସାରେ, ଯେତେବେଳେ ବନ୍ଦୀମାନଙ୍କୁ ଛାଡ଼ିବାର ଚୁକ୍ତି ହେଲା, ଜଣେ ହମାସ ଆତଙ୍କବାଦୀ ତାଙ୍କ ପାଖକୁ ଆସିଥିଲେ। ସେହି ଆତଙ୍କାବଦୀ କହିଥିଲା  ଯେ ତୁମ ମୁକ୍ତି ପାଇଁ ଚୁକ୍ତି ହୋଇଗଲେ ମଧ୍ୟ ତୁମକୁ ଯିବାକୁ ଦେବୁ ନାହିଁ। ମୁଁ ତୁମ ସହ ବିବାହ କରିବାକୁ ଚାହୁଁଛି। ଏହାପରେ ସେହି ଆତଙ୍କବାଦୀ ଜଣକ ତାଙ୍କ ହାତରୁ କଙ୍କଣ ଖୋଲି ନେଇଥିଲେ।

କିପରି ହମାସର କବଜାକୁ ଗଲେ ?

ଇଲାନା କହିଛନ୍ତି ଯେ ତାଙ୍କ ପରିବାର ମେକ୍ସିକୋରୁ ପଳାୟନ କରି ଇସ୍ରାଏଲର କିବୁତ୍ଜ ସହରକୁ ନିଜର ବାସସ୍ଥାନ କରିଥିଲେ। ୩୧ ବର୍ଷୀୟା ଇଲାନା ଏଠାରେ ହିଁ ବିବାହ କରିଥିଲେ। ଇଲାନା ତାଙ୍କ ସ୍ୱାମୀଙ୍କ ସହ ମିଶି ଏଠାରେ କାମ କରୁଥିଲେ, କିନ୍ତୁ ଅକ୍ଟୋବରରେ ଯେତେବେଳେ ହମାସ କିବୁତ୍ଜ ଉପରେ ଆକ୍ରମଣ କଲା, ଇଲାନା ଆତଙ୍କବାଦୀଙ୍କ କବଳରେ ପଡ଼ିଥିଲେ।

ଇଲାନା କହିଛନ୍ତି ଯେ ଅପହରଣ କରିବା ପରେ ହମାସର ୨ ଜଣ ଆତଙ୍କବାଦୀ ତାଙ୍କୁ ବାଇକ୍ରେ ଗାଜା ଆଡ଼େ ନେଇଯାଇଥିଲେ। ଜଣେ ଆତଙ୍କବାଦୀ ବାଇକ୍ ଚଳାଉଥିଲା, ଆଉ ଜଣେ ଆତଙ୍କବାଦୀ ତାଙ୍କୁ ପଛରୁ ଜାବୁଡ଼ି ଧରି ବସିଥିଲା।

ଇଲାନା କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କୁ ହମାସ ଏପର୍ଯ୍ୟନ୍ତ ବନ୍ଦୀ କରି ରଖିଛି। ଇଲାନାଙ୍କ କହିବା ଅନୁସାରେ, ଅନେକ ଥର ତାଙ୍କର ମରିବାର ଇଚ୍ଛା ହୋଇଥିଲା, କିନ୍ତୁ ଶେଷରେ ସେ ଲୋକମାନଙ୍କ ପାଇଁ ଲଢ଼ିବା ଓ ସ୍ୱର ଉଠାଇବାର ନିଷ୍ପତ୍ତି ନେଇଥିଲେ।

Leave a Reply

Your email address will not be published. Required fields are marked *