କ୍ରିକେଟର ମୋହମ୍ମଦ ଶାମିଙ୍କ ଭଉଣୀ ଶବୀନା ଓ ଭିଣୋଇ ଗଜନବୀ ମନରେଗା ଶ୍ରମିକ ?

ଭାରତୀୟ କ୍ରିକେଟ୍ ଟିମର  ଦ୍ରୁତ ବୋଲର ମୋହମ୍ମଦ ଶାମିଙ୍କ ପରିବାର ଏଥର ଏକ ଠକେଇ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ମୋହମ୍ମଦ ଶାମିଙ୍କ ଭଉଣୀ ଶବୀନା ଓ ଭିଣୋଇ ଗଜନବୀଙ୍କ ନାମ ମନରେଗା ଶ୍ରମିକଙ୍କ ତାଲିକାରେ ରହିଛି। ୨୦୨୧ରୁ ୨୦୨୪ ପର୍ଯ୍ୟନ୍ତ ସେମାନଙ୍କ ଖାତାକୁ ମନରେଗାର ମଜୁରି ଆସିଛି। ଶବୀନାଙ୍କ ଶାଶୁ ଗୁଲେ ଆଇଶା  ଗ୍ରାମ ପ୍ରଧାନ ଅଟନ୍ତି। ଏହି ପୂରା ଘଟଣା ଅମରୋହା ଜିଲ୍ଲାର ଜୋୟା ବ୍ଲକ୍ର ପଲୋଲା ଗାଁରୁ ଆସିଛି। ଏଠାରେ ବଡ଼ ପରିମାଣରେ ସରକାରୀ ଅର୍ଥର ହେରଫେର ହୋଇଥିବା ମାମଲା ସାମ୍ନାକୁ ଆସିଛି ।

ମନରେଗା ଯୋଜନାରେ ୬୫୭ଟି ଜବ୍ କାର୍ଡ ତିଆରି ହୋଇଛି। ଏହି ତାଲିକାରେ ୪୭୩ ନମ୍ବରରେ ଶବୀନାଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି। ଶବୀନା ଗ୍ରାମ ପ୍ରଧାନ ଆଇଶାଙ୍କ ବୋହୂ ଅଟନ୍ତି। ଦାବି କରାଯାଇଛି ଯେ ଶବୀନାଙ୍କର ମନରେଗା ଯୋଜନାରେ ଜାନୁଆରୀ ୪, ୨୦୨୧ରେ ପଞ୍ଜୀକରଣ ହୋଇଥିଲା। ଶବୀନାଙ୍କ ବ୍ୟାଙ୍କ ଖାତାକୁ ପ୍ରାୟ ୭୦ ହଜାର ଟଙ୍କା ଆସିଛି। ସେହିପରି ଶବୀନାଙ୍କ ସ୍ୱାମୀ ଗଜନବୀଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି। ତାଙ୍କ ବ୍ୟାଙ୍କ ଖାତାକୁ ପ୍ରାୟ ୬୬ ହଜାର ଟଙ୍କା ଆସିଛି।

ଗାଁରେ ଠିକାଦାରଙ୍କ ଦୁଇ ମହଲା ଘର

ଏହି ଘୋଟାଲାରେ ଶବୀନାଙ୍କ ନଣନ୍ଦ ନେହାଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ବୋଲି କୁହାଯାଉଛି। ନେହା ଗ୍ରାମ ପ୍ରଧାନ ଗୁଲେ ଆଇଶାଙ୍କ ଝିଅ ଅଟନ୍ତି। ୨୦୧୯ରେ ବିବାହ ହେବା ପରେ ସେ ନିଜ ଶ୍ୱଶୁର ଘରେ ରହୁଛନ୍ତି। ତାଙ୍କ ନାମରେ ମଧ୍ୟ ମନରେଗା ମଜୁରି କାର୍ଡ ତିଆରି ହୋଇଛି। ଗାଁରେ ରହୁଥିବା ଜଣେ ଠିକାଦାର ଜୁଲଫିକାରଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି। ତାଙ୍କର ଗାଁରେ ଏକ ଦୁଇ ମହଲା ଘର ଅଛି। ତେବେ ଏହି ମାମଲାରେ ପ୍ରଶାସନ ତରଫରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ ।

Leave a Reply

Your email address will not be published. Required fields are marked *